ଅକ୍ଟୋବରରେ ହାଫିଜ ନାଁରେ ଧମକବାର୍ତ୍ତା ଜାରି କରିଥିଲା ସୈଫୁଲ୍ଲା
ଆମେ ଯଦି ଟିକିଏ ପଛକୁ ଫେରିଯିବା ତେବେ ଜାଣିପାରିବା ଗତ ସେପ୍ଟେମ୍ବର ମାସରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲସ୍କର ଆତଙ୍କବାଦୀଙ୍କ ପକ୍ଷରୁ ହତ୍ୟା ଧମକ ଦିଆଯାଇଥିଲା। ଲସ୍କର-ଏ-ତୋଏବା ଉପମୁଖ୍ୟ ସୈଫୁଲ୍ଲା କସୁରୀ ଧମକ ଦେଇ କହିଥିଲା କାଶ୍ମୀରରେ ଭାରତୀୟ ଡ୍ୟାମ, ନଦୀ ଏବଂ କେତେକ ଅଞ୍ଚଳ ଦଖଲ କରାଯିବ। ଗତ ସେପ୍ଟେମ୍ବର ୧୫ରେ, ଉତ୍ତର ପ୍ରଦେଶର ସ୍ୱତନ୍ତ୍ର ଆତଙ୍କୀ ନିରୋଧୀ ସ୍କ୍ବାଡ୍(ଏଟିଏସ୍) ବିଲାଲ୍ ଖାନ୍ଙ୍କୁ ସାହାରାନପୁରରୁ ଗିରଫ କରିଥିଲା। ଯିଏ ୪୦୦୦ରୁ ଅଧିକ ଫୋନ୍ ନମ୍ବରରୁ ପାକିସ୍ତାନରେ ଅଲ୍ କାଏଦାର ପରିଚାଳକଙ୍କ ସହ ଯୋଗାଯୋଗ କରିଥିଲା। ଏକ ଆତଙ୍କବାଦୀ ଆକ୍ରମଣ କିପରି ଯୋଜନା କରାଯିବ ସେ ବିଷୟରେ ପାକିସ୍ତାନୀ ପରିଚାଳକମାନେ ତାକୁ ନିରନ୍ତର ନିର୍ଦ୍ଦେଶ ପଠାଉଥିଲେ ବୋଲି ଜଣାପଡ଼ିଥିଲା। ସୂଚନା ଅନୁଯାୟୀ ଗତ ଅକ୍ଟୋବରରେ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଅଧିକାରୀ, ଜମାତ୍-ଏ-ହିନ୍ଦ୍ ଏବଂ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀମାନେ ମିଳିତ ହୋଇ ଏକ ବୈଠକ କରିଥିଲେ। ଏହି ବୈଠକରେ ଆଇଏସ୍ଆଇ ଭାରତ ଉପରେ ଆକ୍ରମଣ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲା ଏବଂ ଅପରେସନ୍ ସିନ୍ଦୂରର ପ୍ରତିଶୋଧ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅକ୍ଟୋବର ୪ରେ ସେନା ଓ ଜମ୍ମୁ-କାଶ୍ମୀର ପୁଲିସ ପୁଞ୍ଚ୍ରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରିଥିଲେ। ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ପାକିସ୍ତାନରେ ତିଆରି ହୋଇଥିଲା ବୋଲି ଜଣା ପଡ଼ିଥିଲା। ଅକ୍ଟୋବର ୫ରେ, ବିଶ୍ୱସ୍ତ ସୂଚନା ଆଧାରରେ ଭାରତୀୟ ସେନାର ରୋମିଓ ଫୋର୍ସ ଦ୍ୱାରା ଝୁଲାସ ଅଞ୍ଚଳରେ ଏକ ବଡ଼ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ଏବଂ ସର୍ଚ୍ଚ ସମୟରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ବ୍ୟାଗ୍ ମିଳିଥିଲା। ଏଥିସହ ବିପୁଳ ପରିମାଣର ବିସ୍ଫୋରକ, ପାକିସ୍ତାନୀ ଏକେ ୪୭, ପିସ୍ତଲ ଏବଂ ଚୀନ୍ ଗ୍ରେନେଡ୍ ଆଦି ମିଳିଥିଲା ବୋଲି ସେନା କହିଥିଲା। ଅକ୍ଟୋବର ୩୦ ତାରିଖର ବୋଲି କୁହାଯାଉଥିବା ଗୋଟିଏ ଭିଡିଓ ଏଲ୍ଇଟିର ବରିଷ୍ଠ କମାଣ୍ଡର ସୈଫୁଲ୍ଲା ସୈଫ ଜାରି କରିଥିଲା। ଯେଉଁଥିରେ ସୈଫ ଛୋଟ ପିଲାମାନଙ୍କୁ ଜିହାଦ ମାର୍ଗ ଅନୁସରଣ କରିବା ଏବଂ ଭାରତ ବିରୋଧରେ ଅସ୍ତ୍ର ଉଠାଇବା ପାଇଁ ଉସ୍କାଉଥିବା ଦେଖିବାକୁ ମିଳିଥିଲା। ଲସ୍କର-ଏ-ତୋଏବା ହେଉଛି ସେହି ସମାନ ଆତଙ୍କବାଦୀ ସଙ୍ଗଠନ ଯାହା ଭାରତରେ ୨୦୦୧ ସଂସଦ ଆକ୍ରମଣ ଏବଂ ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ ଅଟେ। ସୈଫ ମଧ୍ୟ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଜାରି କରି ଦର୍ଶାଇଥିଲା, ହାଫିଜ ସୟିଦ ଖାଲି ବସି ନାହାନ୍ତି। ସେ ବାଂଲାଦେଶ ଦେଇ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଇବଦ୍ଦିସାମ୍ ଇଲାହି ଜାହିର ବାଂଲାଦେଶରେ ପହଞ୍ଚିଛନ୍ତି। ଲସ୍କର ଆତଙ୍କବାଦୀମାନେ ବାଂଲାଦେଶ ଦେଇ ଭାରତରେ ପ୍ରବେଶ କରିବେ ଏବଂ ଭାରତରେ ଆତଙ୍କୀ ଆକ୍ରମଣ କରାଯିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ସମଶେଦ ସିଂ କୌର କହିଛନ୍ତି।
ଅଶୁଭ ନଭେମ୍ବର
୨୦୦୮ ମସିହା ନଭେମ୍ବର ୨୬ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପୂରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଆତଙ୍କବାଦୀ ମୁମ୍ବାଇ ମହାନଗରରେ ଯେଉଁ ଆତଙ୍କ ସୃଷ୍ଟି କରିଥିଲେ, ଆଜି ଦିଲ୍ଲୀରେ ସମାନ ସ୍ଥିତି ସୃଷ୍ଟି ହୋଇଛି। ସୋମବାରର ଏହି ଆକ୍ରମଣ ମୁମ୍ବାଇ ଆକ୍ରମଣର ଭୟବହତାକୁ ମନେପକାଇ ଦେଇଛି।
୨୯ ନଭେମ୍ବର ୨୦୧୬, ନାଗ୍ରୋଟା ସେନା ଶିବିର: ୧୦ ମୃତ
୨୬ ନଭେମ୍ବର ୨୦୦୮,ମୁମ୍ବାଇ :୧୭୧ ମୃତ
୨୪ ନଭେମ୍ବର ୨୦୦୭,ଲକ୍ଷ୍ନୌ, ବାରାଣସୀ, ଫୈଜାବାଦ:୧୬ ମୃତ
୨୪ ନଭେମ୍ବର ୨୦୦୨,ରଘୁନାଥ ମନ୍ଦିର ଆକ୍ରମଣ(ଜମ୍ମୁ):୧୪ ମୃତ
୮ ନଭେମ୍ବର ୧୯୯୧, କଲ୍ୟାଣ ଟ୍ରେନ ବିସ୍ଫୋରଣ (ମୁମ୍ବାଇ):୧୨ ମୃତ
ଦେଶର ବଡ଼ ବଡ଼ ଆତଙ୍କବାଦୀ ଆକ୍ରମଣ
୧୫ ଜୁନ- ୧୯୯୧, ପଞ୍ଜାବ: ୧୨୬ ମୃତ
୧୨ ମାର୍ଚ୍ଚ ୧୯୯୩, ବମ୍ବେ: ୨୫୭ ମୃତ
୧୦ ସେପ୍ଟେମ୍ବର ୨୦୦୨, ବିହାର: ୨୦୦ ମୃତ
୧୧ ଜୁଲାଇ ୨୦୦୬, ମୁମ୍ବାଇ: ୨୦୯ ମୃତ
୨୬ ନଭେମ୍ବର ୨୦୦୮, ମୁମ୍ବାଇ : ୧୭୧ ମୃତ


Post a Comment