Header ADS

ଦିଲୀପ ତିର୍କି ଆମନ୍ତ୍ରଣୀୟ ଗଲ୍‌ଫ: ଉମିଦ ବିଜେତା, ଅଜୟ ଓଡ଼ିଶାର ଶ୍ରେଷ୍ଠ

 


ଭୁବନେଶ୍ବର: ଭୁବନେଶ୍ବର ଗଲ୍‌ଫ କୋର୍ସ (ବିଜିସି)ଠାରେ ଆୟୋଜିତ ପିଜିଟିଆଇ (ପ୍ରଫେସ୍‌ନାଲ୍ ଗଲ୍‌ଫ ଟୁର୍ ଅଫ୍ ଇଣ୍ଡିଆ) ଅନୁମୋଦିତ ‘ଦିଲୀପ ତିର୍କି ଆମନ୍ତ୍ରଣୀୟ ଗଲ୍‌ଫ ଟୁର୍ଣ୍ଣା‌ମେଣ୍ଟ୍’ (ଡିଟିଆଇଜିଟି)ର ଶେଷ ରାଉଣ୍ଡ୍‌ରେ ନାଟକୀୟ ବିଜୟ ସହ ହରିୟାଣାର ଉମିଦ କୁମାର ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଏହି ବିଜୟ ବଳରେ ସେ ମଧ୍ୟ ପିଜିଟିଆଇ ଅର୍ଡର୍ ଅଫ୍ ମେରିଟ୍ ଟାଇଟଲ୍ ହାସଲ କରି ଭୁବନେଶ୍ବର ପଦାର୍ପଣକୁ ସ୍ମରଣୀୟ କରିଛନ୍ତି। ନାଟକୀୟ ଢଙ୍ଗରେ ନିଜ ଅଭିଯାନ ଶେଷ କରିଥିବା ଉମିଦ ନିୟମିତ ଖେଳର ଅନ୍ତିମ ହୋଲ୍ ଏବଂ ପ୍ଲେ ଅଫ୍‌ରେ ଗୋଟିଏ ଲେଖାଏଁ କ୍ରମାଗତ ଚିପ୍-ଇନ୍-ବାର୍ଡିଜ୍ ହାସଲ କରି ଟ୍ରଫି ଜିତିବାର ଗୌରବ ହାସଲ କରିଥିଲେ। ଚଳିତ ଋତୁରେ ଏହା ତାଙ୍କର ଦ୍ବିତୀୟ ପିଜିଟିଆଇ ଟ୍ରଫି ଥିଲା। ବିଜେତା ଭାବେ ସେ ୨,୫୪, ୩୦୦ ଟଙ୍କା ଲାଭ କରିଥିଲେ। ଏଥି ସହିତ ନେକ୍ସଟ୍‌ଜେନ୍ ଅର୍ଡର ଅଫ୍ ମେରିଟ୍ ଟାଇଟଲ୍ ଟ୍ରଫି ସହ ଉମିଦ ମଧ୍ୟ ଚଳିତ ଋତୁରେ ନିଜ ମୋଟ ପୁରସ୍କାର ରାଶିକୁ ୮, ୬୧,୧୪୦ ଟଙ୍କାକୁ ବଢ଼ାଇଛନ୍ତି। ବୁଧବାର ଦ୍ବିତୀୟ  ରାଉଣ୍ଡ୍‌ ସୁଦ୍ଧା ୨୪ ବର୍ଷୀୟ ଉମିଦ ୩ ସଟ୍‌ରେ ଏକକ ଆଗୁଆ ରହିଥିଲେ। ଗୁରୁବାର ତୃତୀୟ ତଥା ଅନ୍ତିମ ରାଉଣ୍ଡ୍‌ରେ ୱାନ୍ ଅଣ୍ଡର୍ ୭୧ ସ୍କୋର୍ ସହ ମୋଟ ୮ ଅଣ୍ଡର୍ ୨୦୮ ସ୍କୋର୍ ଅର୍ଜନ କରି ବିଜେତା ହୋଇଥିଲେ। କୁଶାଲ ସିଂହ ଓ ସେ ସମାନ ସ୍କୋର୍‌ରେ ରହିବା ପରେ ପ୍ଲେ ଅଫ୍‌ରେ ବିଜେତା ବଛାଯାଇଥିଲା। କୁଶାଲ ଉପବିଜେତା ହୋଇ ୨,୧୪,୩୦୦ ଟଙ୍କା ପକେଟସ୍ଥ କରିଥିଲେ। ଚନ୍ଦ୍ରଜିତ ଯାଦବ ୭ ଅଣ୍ଡର ୨୦୯ ସ୍କୋର୍ ସହ ତୃତୀୟ, ସଂଜୀବ କୁମାର ଓ ଦେବେଶ ରାଣା ଯୁଗ୍ମ ଚତୁର୍ଥ ସ୍ଥାନରେ ରହିଥି‌ଲେ। ସ୍ଥାନୀୟ ଖେଳାଳିଙ୍କ ମଧ୍ୟରେ ଅଜୟ କୁମାର ସାହୁ ୬ ଅଣ୍ଡର ୨୨୨ ସ୍କୋର୍ ପାଇ ପ୍ରଥମ ଏବଂ ମୋଟ ଉପରେ ୨୭ତମ ସ୍ଥାନ ଅଧିକାର କରି ୨୮୯୦୦ ଟଙ୍କା ପାଇଥିଲେ। ଅନ୍ୟତମ ଓଡ଼ିଆ ଅଙ୍କିତ ପାଢ଼ୀ ୩୯ତମ ସ୍ଥାନରେ ରହି ୧୦,୦୦୦ ଟଙ୍କା ପୁରସ୍କାର ଲାଭ କରିଥିଲେ। ପିଜିଟିଆଇ ସିଇଓ ଅମନଦୀପ ଜୋହଲ, ପଦ୍ମଶ୍ରୀ ଦିଲୀପ ତିର୍କି, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଜିସି ସଭାପତି ଅସିତ କୁମାର ତ୍ରିପାଠୀ, ସଂପାଦକ ବିଶିଷ୍ଟ ଶିଳ୍ପପତି ତପନ କୁମାର ମହାନ୍ତି, ଗଲ୍‌ଫ ଅଧିନାୟକ ଦଲବୀର ସିଂହ, ନିତାଇ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।

Post a Comment

Previous Post Next Post