Header ADS

R‌anji trophy: ସୋରିଙ୍କ ଯୁଗଳ, ଅମନଙ୍କ ତୃତୀୟ ଶତକ: ଲକ୍ଷ୍ୟ ୩୪୫, ଓଡ଼ିଶା ୪୪/୦

 


ଭୁବନେଶ୍ବର: ଚାମ୍ପିଅନ୍ ବିଦର୍ଭ ବିପକ୍ଷରେ ବିଜୟୀ ହେବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହାକୁ ପିଛା କରି ଭ୍ରମଣକାରୀ ଶୁଭ୍ରାଂଶୁ ସେନାପତିଙ୍କ ଦଳ ‌ତୃତୀୟ ଦିନ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୪୪ ରନ୍ ସଂଗ୍ରହ କରିଛି। ମଙ୍ଗଳବାର ଶେଷ ଦିନରେ ଓଡ଼ିଶାକୁ ଆଉ ୩୦୧ ରନ୍ ଏବଂ ବିଦର୍ଭକୁ ୧୦ ୱିକେଟ୍ ଆବଶ୍ୟକ ପଡୁଛି। ଜିତି ନପାରିଲେ ମ୍ୟାଚ୍‌ ଡ୍ର’ ରଖି ସମ୍ମାନ ବଞ୍ଚାଇବା ପାଇଁ ଓଡ଼ିଶାକୁ ମଙ୍ଗଳବାରର ସମସ୍ତ ୯୦ ଓଭର ‌ବ୍ୟାଟିଂ କରିବାର ବିକଳ୍ପ ବି ରହିଛି। ସୋମବାର ଓଡ଼ିଶା ଏହାର ପୂର୍ବଦିନର ପ୍ରଥମ ପାଳି ସ୍କୋର୍‌ ୧୨୨/୬ରୁ ଖେଳିବା ପରେ ବି‌ଶେଷ କିଛି କରିପାରି ନଥିଲା। ୧୬୦ ରନ୍‌ରେ ଦଳ ସମସ୍ତ ୱିକେଟ୍ ହରାଇ ଦେଇଥିଲା। କେବଳ ୭ ନମ୍ବର ବ୍ୟାଟର୍ ସମ୍ବିତ ବରାଳ କିଛି ସମୟ ଲଢ଼ି ଓଡ଼ିଶା ଦ୍ବିତୀୟ ପାଳିର ଦ୍ବିତୀୟ ସର୍ବାଧିକ ୨୯ ରନ୍ (୪୪ ବଲ୍‌, ୫ ଚୌକା) ସଂଗ୍ରହ କରିଥିଲେ। ସକାଳେ ପ୍ରଥମ ବଲ୍‌ରେ ଯୁବ ସ୍ପିନର୍ ଗୌରବ ଫର୍ଦେଙ୍କ ବଲ୍‌ରେ ରାଜେଶ ମହାନ୍ତି ଆଉଟ୍ ହୋଇଯିବା ପରେ ଓଡ଼ିଶା ସଂଘର୍ଷ ଜାରି ରହିଥିଲା। ଫର୍ଦେ ମଧ୍ୟ କ୍ରମାଗତ ବଲ୍‌ରେ ୱିକେଟ୍ ନେଇଥିଲେ। ଓଡ଼ିଶା ନିଜର ଶେଷ ୩ ୱିକେଟ୍ ୩ ରନ୍‌ରେ ହରାଇ ଦେଇଥିଲା। ସୋମବାର ପତନ ଘଟିଥିବା ୪ ୱିକେଟ୍ ମଧ୍ୟରୁ ଦୁଇ ସ୍ପିନର ଫର୍ଦେ ଓ ରିଖେଡ୍‌ ବାଣ୍ଟି ନେଇଥିଲେ। ହା ପରେ ଦ୍ବିତୀୟ ପାଳି ଖେଳିଥିବା ବିଦର୍ଭ ଅପେକ୍ଷାକୃତ ଉନ୍ନତ ରନ୍‌ ହାରରେ ବ୍ୟାଟିଂ କରି ୨୧୮/୨ରେ ପାଳି ଘୋଷଣା କରିଦେଇଥିଲା। ପ୍ରଥମ ପାଳିରେ ଶତକ ହାସଲ କରିଥିବା ଦିଲ୍ଲୀ ବ୍ୟାଟର୍‌ ଧ୍ରୁବ ସୋରି ଯୁଗଳ ଶତକ (୧୪୪ ଓ ୧୦୧) ଅର୍ଜନ କରିଥିବା ବେଳେ ବାଦଲ ବିଶ୍ବାଳ ମଧ୍ୟ ତାଙ୍କୁ ଉଭୟ ପାଳିରେ ଆଉଟ୍ କରିବାର ବିରଳ ଯୁଗଳ ପାଇଥିଲେ। ପୂର୍ବରୁ ବାଦଲ ମଧ୍ୟ ଓପନର୍‌ ଅଥର୍ବ ଟାଇଡେଙ୍କୁ ଆଉଟ୍ କରିଥିଲେ। ସୋମବାର ଧ୍ରୁବ ସୋରି ଓ ଅମନ ମୋଖାଡେ ଦ୍ବିତୀୟ ୱିକେଟ୍ ପାଇଁ ୪୭.୫ ଓଭରରେ ୧୯୯ ରନ୍ ଯୋଡ଼ିବା ଓଡ଼ିଶା ପାଇଁ ବିପଦ ଘଣ୍ଟି ବଜାଇଥିଲା। ଅମନ ମୋଖାଡେ ମଧ୍ୟ ନିଜ କ୍ୟାରିୟର୍‌ର ଏବଂ ଚଳିତ ଋତୁର ତୃତୀୟ ଶତକ (୧୦୧*) ହାସଲ କରିଥିଲେ। ଓଡ଼ିଶା ଦ୍ବିତୀୟ ପାଳିକୁ ସତର୍କତାର ସହ ଆରମ୍ଭ କରିଥିବା ବେଳେ ପ୍ରାରମ୍ଭିକ ଯୋଡ଼ି ସ୍ବସ୍ତିକ ସାମଲ (୨୫*, ୪୧ ବଲ୍‌, ୫ ଚୌକା) ଓ ଗୌରବ ଚୌଧୁରୀ (୧୭*, ୩୧ ବଲ୍‌, ୧ ଚୌକା) ଷ୍ଟମ୍ପ୍ସ ବେଳକୁ ବ୍ୟାଟିଂ କରୁଥିଲେ।ସଂକ୍ଷିପ୍ତ ସ୍କୋର: ବିଦର୍ଭ ପ୍ରଥମ ପାଳି: ୨୮୬/୧୦ (ଧ୍ରୁବ ସୋରେ-୧୪୪, ସମ୍ବିତ ବରାଳ-୨୬-୭-୬୯-୩, ବାଦଲ ବିଶ୍ବାଳ-୧୭.୪-୬-୨୭-୨ ରାଜେଶ ମହାନ୍ତି-୨୮-୬-୫୭-୨, ତାପସ ଦାସ-୨୩-୧୦-୩୩-୨, ଜାମଲା ଭଞ୍ଜନ ମହାପାତ୍ର-୧୦-୨-୪୪-୧)। ଓଡ଼ିଶା ପ୍ରଥମ ପାଳି: ୭୩.୩ ଓଭରରେ ୧୬୦/୧୦ (ଶୁଭ୍ରାଂଶୁ ସେନାପତି-୪୧, ସମ୍ବିତ ବରାଳ-୨୯, ଗୌରବ‌ ଚୌଧୁରୀ-୨୪, ଗୌରବ ଫର୍ଦେ-୪/୩୧, ପାର୍ଥ ରିଖେଡ୍‌-୩/୩୧, ୟାଶ କଦମ-୧/୨୬, ପ୍ରଫୁଲ୍ଲ ହିଙ୍ଗେ-୧/୩୧, ନଚିକେତ ଭୂତେ-୧/୩୨)। ବିଦର୍ଭ ଦ୍ବିତୀୟ ପାଳି: ୫୯.୨ ଓଭରରେ ୨୧୮/୨, ଘୋଷିତ (ଅମନ ମୋଖାଡେ-୧୦୧*, ଧ୍ରୁବ ସୋରି-୧୦୧, ବାଦଲ ବିଶ୍ବାଳ-୨/୮୩)। ଓଡ଼ିଶା ଦ୍ବିତୀୟ ପାଳି: ୧୨ ଓଭରରେ ୪୪/୦ (ସ୍ବସ୍ତିକ ସାମଲ-୨୫*,‌ ଗୌରବ ଚୌଧୁରୀ-୧୭*)।

Post a Comment

Previous Post Next Post