Header ADS

Indravati: ଇନ୍ଦ୍ରାବତୀ : ଅନ୍ୟ ରାଜ୍ୟକୁ ଆଲୋକ ଦେଇ ନିଜେ ଅନ୍ଧାରରେ, ୫ ଦିନ ହେଲା ୨୦ ଏମ୍‌ଭିଏ ଟ୍ରାନ୍ସଫର୍ମର ଅଚଳ

 


ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ପ୍ରକଳ୍ପର ବିଦ୍ୟୁତ୍‌ରେ ଅନ୍ୟ ରାଜ୍ୟ ଆଲୁଅରେ ଥିବା ବେଳେ ଖୋଦ୍‌ ମୁଖିଗୁଡ଼ାରେ ୨୦ ଏମ୍‌ଭି ଟ୍ରାନ୍ସଫର୍ମର ଅଚଳ ଯୋଗୁଁ ସ୍ଥାନୀୟ ଲୋକେ ଅନ୍ଧାରରେ ରହିଛନ୍ତି। ଇନ୍ଦ୍ରାବତୀ ପ୍ରକଳ୍ପରେ ୧୯୯୯ ମସିହାରେ ପ୍ରଥମ ଓ ଦ୍ବିତୀୟ ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ କାର୍ଯ୍ୟକ୍ଷମ ହୋଇଥିଲା। ୨୦୦୦ ମସିହାରେ ତୃତୀୟ ୟୁନିଟ୍‌ ଓ ୨୦୦୧ ମସିହାରେ ଚତୁର୍ଥ ୟୁନିଟ୍‌କୁ କାର୍ଯ୍ୟକ୍ଷମ କରି ବିଜୁଳି ଉତ୍ପାଦନ କରାଯାଇଥିଲା। ୬୦୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ କରି ପଶ୍ଚିମବଙ୍ଗ, ଆସାମ, ଆନ୍ଧ୍ରପ୍ରଦେଶ ସମେତ ବିଭିନ୍ନ ରାଜ୍ୟକୁ ବିଜୁଳି ଯୋଗାଣ ଆରମ୍ଭ ହୋଇଥିଲା। ରାଜ୍ୟର ମୋଟ ଜଳବିଦ୍ୟୁତ୍‌ ଉତ୍ପାଦନର ୨୫% ବିଦ୍ୟୁତ୍‌ ଇନ୍ଦ୍ରାବତୀ ପ୍ରକଳ୍ପରୁ ମିଳୁଛି। ୧୯୯୯ ମସିହାରେ ୨୦ ଏମ୍‌ଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର୍‌ ଲଗାଯାଇଥିଲା। ସେହି ଟ୍ରାନ୍ସଫର୍ମର ଦ୍ବାରା ପାୱାର ହାଉସ୍‌ ସମେତ ଓଏଚ୍‌ପିସି ଅଫିସ୍ କର୍ମଚାରୀମାନଙ୍କ ବାସଭବନକୁ ବିଜୁଳି ଯୋଗାଣ ହେଉଥିଲା। ଗତ ଅକ୍ଟୋବର ୨୯ ତାରିଖରେ ଏହି ଟ୍ରାନ୍ସଫର୍ମର ଅଚଳ ହେବା ଯୋଗୁଁ ବିଦ୍ୟୁତ୍‌ ଯୋଗାଣ ଠପ୍‌ ହୋଇ ଯାଇଥିଲା। ୭୨ ଘଣ୍ଟା ପରେ ଟାଟା ପାୱାର୍‌ରୁ ବିଦ୍ୟୁତ୍‌ ସଂଯୋଗ କରି ବିଦ୍ୟୁତ୍‌ ଯୋଗାଇବାକୁ ଉଦ୍ୟମ କରାଯାଇଛି। ଟାଟା ପାୱାରଠାରୁ ବର୍ତ୍ତମାନ ବିଦ୍ୟୁତ୍‌ କିଣାଯାଇ ପାୱାର ହାଉସ୍‌, ଓଏଚ୍‌ପିସି ସମେତ ବିଭିନ୍ନ ଅଞ୍ଚଳକୁ ଯୋଗାଣ କରାଯାଉଛି। ବର୍ତ୍ତମାନ ଇନ୍ଦ୍ରାବତୀର ବିଜୁଳି ବାନେର ଗ୍ରିଡ୍‌ ପର୍ଯ୍ୟନ୍ତ ଯାଇଥିବାବେଳେ ଏଠାରୁ ଜୁନାଗଡ ବ୍ଲକ୍‌ର କୁରୁଗୁଡ଼ା ଗ୍ରିଡ୍‌କୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଗତ ସରକାର ସମୟରେ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଅଧାରୁ କାମ ଠପ୍‌ ହୋଇଛି। ଫଳରେ କଳାହାଣ୍ଡିବାସୀଙ୍କ ପାଇଁ ଇନ୍ଦ୍ରାବତୀ ବିଦ୍ୟୁତ୍‌ ସ୍ବପ୍ନ ପାଲଟିଛି। କେବଳ ଜିଲ୍ଲାର ବାନେର ଗ୍ରିଡ୍‌ରୁ ଚାରବାହାଲ, ଜୟପାଟଣା, ଲଡୁଗାଁ, କୋକସରା ଓ ମୁଖିଗୁଡା ଅଞ୍ଚଳକୁ ବିଦ୍ୟୁତ ସଂ‌ଯୋଗ ରହିଛି। ଇନ୍ଦ୍ରାବତୀ ବୁଡ଼ିଅଞ୍ଚଳର ବହୁ ଗାଁ ମଧ୍ୟ ଅନ୍ଧାରରେ ରହିଛି। ବର୍ତ୍ତମାନ କଳାହାଣ୍ଡିବାସୀ ବଲାଙ୍ଗୀରରୁ ବିଦ୍ୟୁତ୍‌ ପାଉଛନ୍ତି। ବାନେର ଓ କୁରୁଗୁଡ଼ାକୁ ୧୩୨ କେଭି ବିଦ୍ୟୁତ୍‌ ସଂଯୋଗ ମରୀଚିକା ପାଲଟିଛି।

Post a Comment

Previous Post Next Post