Header ADS

ଏବର୍ଷ ଧନୀ ଦାନ କରିଛନ୍ତି ୧୦,୩୮୦ କୋଟି: ସବୁଠୁ ଆଗରେ ନାଦର ପରିବାର, ଅମ୍ବାନୀ ଦ୍ବିତୀୟ, ଆଦାନୀ ପଞ୍ଚମ


 ନୂଆଦିଲ୍ଲୀ: ଭାରତର ବଡ଼ ବଡ଼ ଧନୀ ବ୍ୟକ୍ତିମାନେ ଚଳିତବର୍ଷ ୧୦,୩୮୦ କୋଟି ଟଙ୍କା ଦାନ କରିଛନ୍ତି। ଇଡେଲଗିଭ୍‌ ହୁରୁନ୍‌ ଇଣ୍ଡିଆ ଫିଲାନ୍‌ଥ୍ରୋପି ଲିଷ୍ଟ୍‌ ୨୦୨୫ରୁ ଏହା ଜଣାଯାଇଛି। ଏହି ତାଲିକାରେ ୧୯୧ ଜଣ ଧନୀ ବ୍ୟକ୍ତି ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ପ୍ରଥମ ଥର ପାଇଁ ରହିଛନ୍ତି। ଗତ ୩ ବର୍ଷ ମଧ୍ୟରେ ଭାରତର ଏଭଳି ପରୋପକାରୀ ଧନୀ ବ୍ୟକ୍ତିଙ୍କ ମୋଟ ଦାନରାଶିରେ ୮୫ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତବର୍ଷ ଦାନ କ୍ଷେତ୍ରରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିଜ୍‌ର ପ୍ରତିଷ୍ଠାତା ତଥା ଶିବ ନାଦର ଓ ତାଙ୍କ ପରିବାର ସବୁଠୁ ଆଗରେ ରହିଛନ୍ତି। ସେମାନଙ୍କ ଦାନରାଶି ୨୭୦୮ କୋଟି ଟଙ୍କା ରହିଛି। ଗତ ୫ ବର୍ଷ ମଧ୍ୟରେ ଦାନ ଦେବାରେ ନାଦର ୪ ଥର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ନାଦରଙ୍କ ଦୈନିକ ଦାନ ୭.୪ କୋଟି ଟଙ୍କା ରହିଛି। ଗତବର୍ଷ ତୁଳନାରେ ତାଙ୍କ ଦାନରେ ୨୬ ପ୍ରତିଶତ ବୃଦ୍ଧି ଘଟିଛି। ମୁଖ୍ୟତଃ ଶିବ ନାଦର ଫାଉଣ୍ଡେସନ ଜରିଆରେ ତାଙ୍କ ଦାନରାଶି ପ୍ରଦାନ କରାଯାଇଛି। ଶିକ୍ଷା, କଳା ଏବଂ ସଂସ୍କୃତି ‌କ୍ଷେତ୍ରରେ ଏହି ପ୍ରତିଷ୍ଠାନ ଅଧିକ ଧ୍ୟାନ ଦେଉଛି। ଶିବ ନାଦରଙ୍କ ପଛକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ରହିଛନ୍ତି। ୨୦୨୫ରେ ସେମାନେ ୬୨୬ କୋଟି ଟଙ୍କା ଦାନ କରିଛନ୍ତି। ପୂର୍ବବର୍ଷ ତୁଳନାରେ ତାଙ୍କ ଦାନରେ ୫୪ ପ୍ରତିଶତ ବୃଦ୍ଧି ଘଟିଛି। ବଜାଜ୍‌ ପରିବାର ମୋଟ ୪୪୬ କୋଟି ଟଙ୍କା ଦାନ କରି ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବବର୍ଷ ତୁଳନାରେ ବଜାଜ୍‌ ପରିବାରର ଦାନରେ ୨୭ ପ୍ରତିଶତ ବୃଦ୍ଧି ଘଟିଛି। ଚତୁର୍ଥ ସ୍ଥାନରେ କୁମାର ମଙ୍ଗଳମ ବିର୍ଲା ଓ ତାଙ୍କ ପରିବାର ରହିଛନ୍ତି। ବିର୍ଲା ପରିବାରର ମୋଟ ଦାନ ରାଶି ୪୪୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ପୂର୍ବବର୍ଷ ତୁଳନାରେ ତାଙ୍କ ଦାନରାଶିରେ ୩୨ ପ୍ରତିଶତ ବୃଦ୍ଧି ଘଟିଛି। ଦେଶର ଅନ୍ୟତମ ପ୍ରମୁଖ ଧନୀ ବ୍ୟକ୍ତି ଗୌତମ ଆଦାନୀ ଓ ତାଙ୍କ ପରିବାର ଚଳିତବର୍ଷ ୩୮୬ କୋଟି ଟଙ୍କା ଦାନ କରି ପଞ୍ଚମ ସ୍ଥାନରେ ରହିଛନ୍ତି। ପୂର୍ବବର୍ଷ ତୁଳନାରେ ଏହା ୧୭ ପ୍ରତିଶତ ଅଧିକ। ଇନଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି ୩୬୫ କୋଟି ଟଙ୍କା ଦାନ କରି ଷଷ୍ଠ ସ୍ଥାନରେ ରହିଛନ୍ତି। ୨୦୨୪ ତୁଳନାରେ ତାଙ୍କ ଦାନ ୧୯ ପ୍ରତିଶତ ଅଧିକ। ହିନ୍ଦୁଜା ପରିବାର ୨୯୮ କୋଟି ଟଙ୍କା ଦାନ କରି ସପ୍ତମ ସ୍ଥାନରେ ରହିଛନ୍ତି। ୨୦୨୪ ତୁଳନାରେ ଏହି ପରିବାରର ଦାନରାଶି ୧୫୦ ପ୍ରତିଶତ ବୃଦ୍ଧି ଘଟିଛି। ଅଷ୍ଟମ ସ୍ଥାନରେ ନନ୍ଦନ ନିଲେକାନିଙ୍କ ପତ୍ନୀ ରୋହିଣୀ ନିଲେକାନି ରହିଛନ୍ତି। ୨୦୪ କୋଟି ଟଙ୍କା ଦାନ କରି ସେ ମହିଳା ଦାନୀଙ୍କ ମଧ୍ୟରେ ଆଗରେ ରହିଛନ୍ତି। ଟରେଣ୍ଟ ଗ୍ରୁପ୍‌ର ସୁଧୀର ଓ ସମୀର ମେହଟା ପ୍ରଥମ ଥର ପାଇଁ ଶୀର୍ଷ ୧୦ ଧନୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୧୮୯ କୋଟି ଟଙ୍କା ଦାନ କରି ସେମାନେ ୯ମ ସ୍ଥାନରେ ରହିଛନ୍ତି। ପୁନାୱାଲା ଗ୍ରୁପ୍‌ର ସାଇରସ ଏସ୍‌ ପୁନାୱାଲା ଏବଂ ଆଦର ପୁନାୱାଲା ୧୭୩ କୋଟି ଟଙ୍କା‌ ଦାନ କରି ତାଲିକାର ୧୦ମ ସ୍ଥାନରେ ରହିଛନ୍ତି।  ଶୀର୍ଷ ୨୫ ଧନୀ ବ୍ୟକ୍ତି ଗତ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାରୁ ଅଧିକ ଦାନ କରିଛନ୍ତି। 

Post a Comment

Previous Post Next Post